ନୂଆଦିଲ୍ଲୀ: ନୂତନ ଆୟକର ବିଲ୍ (ଇନ୍କମ୍ ଟ୍ୟାକ୍ସ ବିଲ୍, ୨୦୨୫) ଗୁରୁବାର ଲୋକସଭାରେ ଆଗତ ହୋଇଛି । ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଧେୟକ ଉପରେ ଅଧିକ ବିଚାର-ବିମର୍ଶ କରିବା ପାଇଁ ସଂସଦର ସ୍ଥାୟୀ ସମିତିକୁ ପଠାଯିବ । ନୂଆ ଆୟକର ବିଲ୍ ୨୦୨୬ ଏପ୍ରିଲ୍ ୧ରେ ଲାଗୁ ହେବା ନେଇ ଆଶା କରାଯାଉଛି ।
ନୂତନ ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନରେ ପ୍ରଚଳିତ ଆୟକର ଟିକସ ଆକ୍ସ ୧୯୬୧ର ସ୍ଥାନ ନେବ । ନୂଆ ବିଲ୍ରେ ମୋଟ ୫୩୬ ଧାରା ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ ବେଳେ ନୂଆ ଆୟକର ଆଇନ ଆସିବା ନେଇ ଘୋଷଣା କରିଥିଲେ ।
ନୂଆ ବିଲ୍ର ଉଦ୍ଦେଶ୍ୟ କଠିନ ଶବ୍ଦ ଏବଂ ଆବଶ୍ୟକ ନଥିବା ଆଇନକୁ ହଟାଇ, ଛୋଟ ଏବଂ ସରଳ କରିବା । ଉଦାହରଣ ପାଇଁ ଏଥିରେ 'ଟ୍ୟାକ୍ସ ଇୟର' ନାଁରେ ଏକ ନୂଆ ଶବ୍ଦ ବ୍ୟବହାର କଥା ଉଲ୍ଲେଖ ରହିଛି, ଯାହା 'ପ୍ରିଭିୟସ ଇୟର' ଏବଂ 'ଆସେସମେଣ୍ଟ ଇୟର' ପରି ଜଟିଳ ଶବ୍ଦକୁ ସ୍ଥାନ ନେବ ।
ନୂଆ ଇନ୍କମ୍ ଟ୍ୟାକ୍ସ ବିଲ୍ରେ ମୋଟ ୬୨୨ ପୃଷ୍ଠା ରହିବ । ଏଥିରେ ୫୩୬ ଧାରା, ୨୩ ଚାପ୍ଟର ଏବଂ ୧୬ ଅନୁସୂଚୀ ସାମିଲ ରହିଛି । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ ୧୪ ଅନୁସୂଚୀ ରହିଛି । ଆୟକର ବିଲ୍ ୧୯୬୧ରେ ମୋଟ ୮୮୦ ପୃଷ୍ଠା ଥିଲା । ଏହାସହ ଆୟକର ଅଧିନିୟମ ୧୯୬୧ରେ ଅନେକ ଥର ବ୍ୟବହାର କରାଯାଇଥିବ ଶବ୍ଦ ‘ବାବଜୁଦ’କୁ ନୂଆ ବିଧେୟକରୁ ହଟାଯାଇଛି ଏବଂ ଏହା ସ୍ଥାନରେ ପ୍ରାୟ ସବୁ ସ୍ଥାନରେ ‘ଅପରିହାର୍ଯ୍ୟ’ ଶବ୍ଦ ବ୍ୟବହାର କରାଯାଇଛି ।